لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ମୁରିବାହାଲରେ ଭାଲୁ ଆତଙ୍କ , ଭୟଭୀତ ଅଞ୍ଚଳବାସୀ

ମୁରିବାହାଲରେ ଭାଲୁ ଆତଙ୍କ , ଭୟଭୀତ ଅଞ୍ଚଳବାସୀ

أكتوبر 24, 2026  Suprabhat Odisha  48 مشاهدة
ମୁରିବାହାଲରେ ଭାଲୁ ଆତଙ୍କ , ଭୟଭୀତ ଅଞ୍ଚଳବାସୀ

ବଲାଙ୍ଗୀର, ୨୪।୧୦ (ସୂପ୍ରଭାତ ଓଡ଼ିଶା): ବଣୁଆ ହାତୀପଲଙ୍କ ଉପଦ୍ରବରେ ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅତିଷ୍ଠ ହୋଇପଡ଼ିଥିବା ମୁରିବାହାଲ ଅଞ୍ଚଳବାସୀଙ୍କ ଚିନ୍ତା ଏବେ ଆହୁରି ବଢ଼ିଛି। ଅଞ୍ଚଳର ବିଭିନ୍ନ ସ୍ଥାନରେ ଏକ ଭାଲୁର ଚଳପ୍ରଚଳ ଦେଖିବାକୁ ମିଳୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଶୁକ୍ରବାର ରାତି ପ୍ରାୟ ୯ଟାରେ ମୁରିବାହାଲ ଆଦର୍ଶ ବିଦ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଏକ ଦୋକାନ ଭିତରକୁ ଭାଲୁଟି ପଶି କୁରକୁରେ ଆଦି ଖାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ବିକ୍ରମ କର୍ମୀଙ୍କ ଦୋକାନରେ ଭାଲୁଟି ପଶି ଖାଦ୍ୟ ଖାଉଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଥିଲେ। ଭାଲୁଟି ନିକଟସ୍ଥ ଅଞ୍ଚଳରେ ଥିବା ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳେ ଭାଲୁଟି ସେଠାରେ ଥିବା ଦେଖିବାକୁ ମିଳିଥିଲା। ଏହାର ଫଟୋ ଓ ଭିଡିଓ ଲୋକେ ମୋବାଇଲରେ ଉତ୍ତୋଳନ କରି ସୋସିଆଲ ମିଡିଆରେ ପ୍ରସାର କରିବା ପରେ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ପୂର୍ବରୁ ଗୁଡ଼ିଘାଟ ପଞ୍ଚାୟତର ବିଜାମାଲ ଓ ବାବେଜୁରୀ ଗ୍ରାମ ସମେତ ମୁରିବାହାଲ ଆଦର୍ଶ ବିଦ୍ୟାଳୟ ନିକଟରେ ଭାଲୁଟିକୁ ଦେଖାଯାଇଥିବା ସୂଚନା ମିଳିଛି। ଗୁରୁବାର ବୈରାଗୀପଡ଼ା ନିକଟରେ ମଧ୍ୟ ଏହାର ଉପସ୍ଥିତି ଲୋକଙ୍କ ନଜରକୁ ଆସିଥିଲା। ଏକାଧିକ ସ୍ଥାନରେ ଭାଲୁ ଦେଖାଯିବା ଓ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବା ପରେ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ବଢ଼ିଛି। ଅନ୍ୟପକ୍ଷରେ, ନିକଟସ୍ଥ କଣ୍ଟାବାଞ୍ଜି ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ମୁରିବାହାଲରେ ଦେଖାଯାଉଥିବା ଭାଲୁଟି କଣ୍ଟାବାଞ୍ଜି ଅଞ୍ଚଳରେ ଆକ୍ରମଣ କରିଥିବା ଭାଲୁ କି ଅନ୍ୟ କୌଣସି ଭାଲୁ, ସେ ନେଇ ଲୋକଙ୍କ ମନରେ ସନ୍ଦେହ ରହିଛି। ତେବେ ଏହି ଦୁଇ ଘଟଣା ମଧ୍ୟରେ କୌଣସି ସମ୍ପର୍କ ଥିବା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଜନବସତି ଓ ଦୋକାନବଜାର ଅଞ୍ଚଳକୁ ବନ୍ୟଜନ୍ତୁଙ୍କ ବାରମ୍ବାର ପ୍ରବେଶ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିଶେଷକରି ରାତି ସମୟରେ ଘରୁ ବାହାରିବା ଓ ରାସ୍ତାରେ ଯାତାୟାତ କରିବାକୁ ନେଇ ଲୋକେ ଆଶଙ୍କା ପ୍ରକାଶ କରୁଛନ୍ତି। ଏଭଳି ସ୍ଥିତିରେ ଭାଲୁର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସମ୍ପର୍କରେ ମୁରିବାହାଲ ରେଞ୍ଜର ଡମ୍ବରୁଧର ପ୍ରଧାନଙ୍କୁ ପଚାରିବାରୁ, ବନ ବିଭାଗ ପକ୍ଷରୁ ବଣୁଆ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ଭାଲୁର ଚଳପ୍ରଚଳ ଉପରେ ମଧ୍ୟ ନିରୀକ୍ଷଣ କରାଯାଉଛି ବୋଲି ସେ କହିଥିଲେ। ଭାଲୁଟିକୁ ସୁରକ୍ଷିତ ଭାବେ କାବୁ କରିବା ପାଇଁ ବଲାଙ୍ଗୀରରୁ ରାପିଡ୍‌ ରେସ୍କ୍ୟୁ ଟିମ୍‌କୁ ଡକାଯାଇଥିବା ସେ ସୂଚନା ଦେଇଛନ୍ତି।


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط