لارا ماج - نظام أخبار ومجلات لارافيل متعدد اللغات

Header
collapse
...
الرئيسية / Odisha / ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ, ଗର୍ଭବତୀଙ୍କ ମୃତ୍ୟୁ

ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ, ଗର୍ଭବତୀଙ୍କ ମୃତ୍ୟୁ

أكتوبر 25, 2026  Suprabhat Odisha  9 مشاهدة
ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ, ଗର୍ଭବତୀଙ୍କ ମୃତ୍ୟୁ

୪ ଘଣ୍ଟା ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ ମହିଳା 

ମିଳିଲାନି ସମୟୋଚିତ ଚିକିତ୍ସା

ଆମ୍ବୁଲାନ୍ସ ନଥିବାରୁ ଘରୋଇ ଗାଡ଼ିରେ ବଲାଙ୍ଗୀର ସ୍ଥାନାନ୍ତର 

ମାଆ ଛେଉଣ୍ଡ ହେଲେ ଦୁଇ ନାବାଳିକା ଝିଅ

ପାଟଣାଗଡ଼, (ସୁପ୍ରଭାତ ଓଡ଼ିଆ): ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ସରକାରୀ ଡାକ୍ତରଖାନାର ପ୍ରଥମ ଦାୟିତ୍ୱ। କିନ୍ତୁ ଏହି ଦାୟିତ୍ୱ ପାଳନରେ ଅବହେଳା ହେଲେ ତାହା କେତେ ଭୟଙ୍କର ପରିଣାମ ଆଣିପାରେ, ତାହାର ଏକ ମର୍ମନ୍ତୁଦ ଅଭିଯୋଗ ସାମ୍ନାକୁ ଆସିଛି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରୁ। ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ୩୨ ବର୍ଷୀୟା ମହିଳାଙ୍କୁ ଠିକ୍‌ ସମୟରେ ଚିକିତ୍ସା ମିଳି ନ ଥିବା ଏବଂ ଆମ୍ବୁଲାନ୍ସ ଅଭାବରୁ ତାଙ୍କୁ ଘରୋଇ ଆମ୍ବୁଲାନ୍ସରେ ବଲାଙ୍ଗୀର ନିଆଯାଉଥିବା ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଡାକ୍ତରଖାନାର ଚିକିତ୍ସା ବ୍ୟବସ୍ଥା, ଡାକ୍ତରଙ୍କ ଉପସ୍ଥିତି ଓ ଜରୁରୀକାଳୀନ ସେବାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।ଅଭିଯୋଗ ଅନୁଯାୟୀ, ପାଟଣାଗଡ଼ ଅଞ୍ଚଳର ଘୁଚେପାଲି ଗ୍ରାମର ଜିତୁ ସୁନାଙ୍କ ପତ୍ନୀ ପୁଷ୍ପାଞ୍ଜଳୀ ସୁନାଙ୍କର ଗତ ଶୁକ୍ରବାର ସକାଳେ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ରୋସନ ମେହେର ପହଞ୍ଚିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ଡାକ୍ତର ରକ୍ତ ପରୀକ୍ଷା କରାଇବାକୁ କହିଥିଲେ। ପରିବାର ଲୋକେ ତୁରନ୍ତ ପରୀକ୍ଷା କରାଇ ରିପୋର୍ଟ ଆଣିଥିଲେ। କିନ୍ତୁ ପରିବାରର ଅଭିଯୋଗ ଅନୁସାରେ, ଦିନ ସାଢ଼େ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ସମ୍ପୃକ୍ତ ବିଶେଷଜ୍ଞ ଡାକ୍ତରଙ୍କ ଦେଖା ମିଳି ନ ଥିଲା। ଏହି ସମୟରେ ମହିଳାଙ୍କ ଯନ୍ତ୍ରଣା ବଢ଼ିବା ସହ ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ ଗୁରୁତର ହୋଇପଡ଼ିଥିଲା। ସ୍ୱାମୀ ଓ ପରିବାର ଲୋକେ ଡ୍ୟୁଟିରେ ଥିବା ଷ୍ଟାଫ୍‌ ନର୍ସଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ମିଳି ନ ଥିବା ସେମାନେ କହିଛନ୍ତି। ଦୀର୍ଘ ସମୟ ଧରି ଯନ୍ତ୍ରଣା ଭୋଗିବା ପରେ ମହିଳା ଜଣକ ଅଚେତ ହୋଇପଡ଼ିଥିଲେ। ତାଙ୍କ ଅବସ୍ଥା ଦେଖି ଡ୍ୟୁଟିରେ ଥିବା କର୍ମଚାରୀମାନେ ଡାକ୍ତରଙ୍କ ସହ ଫୋନ୍‌ରେ ଯୋଗାଯୋଗ କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। କିନ୍ତୁ ସେହି ସମୟରେ ଡାକ୍ତରଖାନାରେ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବାରୁ ପରିବାର ଲୋକେ ବାଧ୍ୟ ହୋଇ ଘରୋଇ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ପତ୍ନୀଙ୍କ ଜୀବନ ବଞ୍ଚାଇବା ଆଶାରେ ଜିତୁ ତାଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ବାହାରିଥିଲେ। ହେଲେ ଭଇଁଷା ଓ ଧୁବଲପଡ଼ା ମଧ୍ୟବର୍ତ୍ତୀ ରାସ୍ତାରେ ମହିଳାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିଲା। ଶେଷରେ ବଲାଙ୍ଗୀର ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଯାଞ୍ଚ କରି ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୁଲିସ ମୃତଦେହ ଜବତ କରି ଶବଗୃହରେ ରଖିଥିଲା। ପରଦିନ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା।ମହିଳାଙ୍କ ମୃତ୍ୟୁ ପରେ ପରିବାର ଓ ସମ୍ପର୍କୀୟମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖବର ପାଇ ବଲାଙ୍ଗୀରରୁ ପୁଲିସର ଏକ ସ୍ୱତନ୍ତ୍ର ଦଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଆମ୍ବୁଲାନ୍ସ ସହ ପାଟଣାଗଡ଼ରେ ପହଞ୍ଚିଥିବା କୁହାଯାଇଛି। ଧୂମାଭଟା ଛକରେ ଆମ୍ବୁଲାନ୍ସକୁ ପୁଲିସ ସୁରକ୍ଷାବଳୟ ମଧ୍ୟରେ ରଖାଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ପରେ ମୃତ ମହିଳାଙ୍କ ସ୍ୱାମୀ ଓ ଜଣେ ସମ୍ପର୍କୀୟଙ୍କୁ ଡାକ୍ତର ରୋସନ ମେହେର ଅନ୍ୟ ଦୁଇଜଣ ଡାକ୍ତରଙ୍କ ସହ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଡାକିଥିଲେ। ସେଠାରେ ସରକାରୀ ସହାୟତାର ପ୍ରତିଶ୍ରୁତି ଦେଇ ସେମାନଙ୍କ ଉପରେ ଚାପ ପକାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହାପରେ ପରିବାର ଲୋକେ ମୃତଦେହକୁ ଗାଁକୁ ନେଇ ଶବ ସତ୍କାର କରିଥିଲେ। ତେବେ ଏହି ଅଭିଯୋଗ ଉପରେ ସମ୍ପୃକ୍ତ ଡାକ୍ତର କିମ୍ବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 


شارك:

اترك تعليقاً

لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *

سيتم تحسين تجربتك على هذا الموقع من خلال السماح بملفات تعريف الارتباط سياسة ملفات تعريف الارتباط