ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ
ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି
ପାଟଣାଗଡ଼, (ସୂପ୍ରଭାତ ଓଡ଼ିଶା): ନିର୍ମାଣ ଶେଷ ହେବାର ମାତ୍ର ୪ ମାସ ମଧ୍ୟରେ ଦବିଗଲା ଫେବର ବ୍ଲକ୍ ରାସ୍ତା। ରାସ୍ତାର ବିଭିନ୍ନ ସ୍ଥାନରେ ଦବିଯାଇ ଖାଲଖମା ସୃଷ୍ଟି ହୋଇଥିବାରୁ ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ ଉଠିଛି। ବଲାଙ୍ଗୀର-ପାଟଣାଗଡ଼ ୪୨ ନମ୍ବର ରାଜ୍ୟ ରାଜପଥର ରାମପୁରସ୍ଥିତ କେନ୍ଦ୍ରୀୟ କେନ୍ଦୁପତ୍ର ଗୋଦାମ ସମ୍ମୁଖରେ ରାସ୍ତାର ଉଭୟ ପାର୍ଶ୍ୱରେ ନିର୍ମିତ ହୋଇଥିବା ଏହି ଫେବର ବ୍ଲକ୍ ରାସ୍ତାର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଆବଶ୍ୟକ ସ୍ଥଳେ ପୁନଃନିର୍ମାଣ ଓ ଠିକାଦାର ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ସରକାର ବିଭିନ୍ନ ରାସ୍ତାଘାଟ ନିର୍ମାଣ ଓ ମରାମତି କରିବା ପାଇଁ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ତେବେ ନିର୍ମାଣର ଅଳ୍ପ କିଛି ମାସ ମଧ୍ୟରେ ରାସ୍ତା ଦବିଯିବା ଘଟଣା ନିର୍ମାଣର ଗୁଣବତ୍ତା ଓ ତଦାରଖ ବ୍ୟବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି କରୁଛି । ରାସ୍ତା ନିର୍ମାଣ ସମୟରେ ଆବଶ୍ୟକ ମାନଦଣ୍ଡ ପାଳନ କରାଯାଇଥିଲା କି ନାହିଁ ଏବଂ ସମ୍ପୃକ୍ତ ବିଭାଗ ପକ୍ଷରୁ ଠିକ୍ ଭାବେ ତଦାରଖ କରାଯାଇଥିଲା କି ନାହିଁ, ତାହାର ଯାଞ୍ଚ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ ବେଲପଡ଼ା, କଣ୍ଟାବାଞ୍ଜି, ଖପ୍ରାଖୋଲ ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଓ ଆଖପାଖ ଅଞ୍ଚଳର ବିଭିନ୍ନ ଗାଁକୁ ଯାତାୟାତ ପାଇଁ ଏକ ପ୍ରମୁଖ ମାର୍ଗ । ତେଣୁ ସମ୍ପୃକ୍ତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି କାମର ଗୁଣବତ୍ତା ଯାଞ୍ଚ କରିବା ସହ ନିର୍ମାଣ କାମର ତଦନ୍ତ କରି ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ରାସ୍ତାର ସ୍ଥାୟୀ ମରାମତି କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।
اترك تعليقاً
لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *