ବଲାଙ୍ଗୀର: ଆଖିରେ ଅନେକ ସ୍ୱପ୍ନ। ହେଲେ ସେହି ସ୍ୱପ୍ନ ନିଜ ପାଇଁ ନୁହେଁ, ତିନି ପିଲାଙ୍କ ଭବିଷ୍ୟତ ପାଇଁ। ସ୍ୱାମୀଙ୍କୁ ହରାଇବା ପରେ ପରିବାରର ସମସ୍ତ ଦାୟିତ୍ୱ ଏବେ ଜ୍ୟୋତ୍ସ୍ନାମୟୀ ସୁନାଙ୍କ କାନ୍ଧରେ। ଦିନରେ ମୂଲମଜୁରି, ଆଉ ସେହି ରୋଜଗାରରୁ ପରିବାର ଚଳାଇବା ସହ ପିଲାମାନଙ୍କ ପାଠପଢ଼ାର ଖର୍ଚ୍ଚ ତୁଲାଇବା—ଏହି ହେଉଛି ତାଙ୍କ ଦୈନନ୍ଦିନ ସଂଘର୍ଷ । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ ଅନ୍ତର୍ଗତ ପିପିଲିପାଲି ଗ୍ରାମର ଜ୍ୟୋତ୍ସ୍ନାମୟୀ। ୨୦୨୦ ମସିହାରେ ସ୍ୱାମୀ ଗୌତମ ସୁନାଙ୍କ ଆକସ୍ମିକ ବିୟୋଗ ପରେ ତାଙ୍କ ଉପରେ ପଡ଼ିଥିଲା ପରିବାରର ସମସ୍ତ ଦାୟିତ୍ୱ। ସେବେଠାରୁ ନିଜ ଦୁଃଖକୁ ପଛରେ ପକାଇ ତିନି ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଲାଗିଛନ୍ତି ସେ। ତାଙ୍କ ଏକମାତ୍ର ପୁଅ ପୀତାମ୍ବର ଯୁକ୍ତ ଦୁଇରେ ପଢ଼ୁଛନ୍ତି। ବଡ଼ ଝିଅ ପ୍ରିୟଙ୍କା ଆଗଲପୁର ବ୍ଲକ ରାମପୁରସ୍ଥିତ ଆଶ୍ରମ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସାନଝିଅ ପ୍ରତିଜ୍ଞା ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଛନ୍ତି। ପିଲାମାନେ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହୁଅନ୍ତୁ—ଏହା ହିଁ ଜ୍ୟୋତ୍ସ୍ନାମୟୀଙ୍କ ସ୍ୱପ୍ନ। କିନ୍ତୁ ଏହି ସ୍ୱପ୍ନ ପୂରଣ କରିବା ତାଙ୍କ ପାଇଁ ସହଜ ନୁହେଁ। ମୂଲମଜୁରି କରି ଯାହା ରୋଜଗାର କରନ୍ତି, ସେଥିରେ ଘର ଚଳାଇବା ସହ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବାକୁ ପଡ଼ୁଛି। ବର୍ତ୍ତମାନ ତାଙ୍କୁ ବିଧବା ଭତ୍ତା ବାବଦକୁ ମାସକୁ ୧ ହଜାର ଟଙ୍କା ମିଳୁଥିବା ବେଳେ ପରିବାରର ଚାରିଜଣଙ୍କ ପାଇଁ ମୁଣ୍ଡପିଛା ୫ କେଜି ଲେଖାଏଁ ପିଡିଏସ୍ ସାମଗ୍ରୀ ମିଳୁଛି। ତେବେ ଏହା ପରିବାରର ସମସ୍ତ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ହେଉନଥିବାରୁ ଜ୍ୟୋତ୍ସ୍ନାମୟୀଙ୍କୁ ନିୟମିତ ମୂଲମଜୁରି କରିବାକୁ ପଡ଼ୁଛି। ସୁଭଦ୍ରା ଯୋଜନାରେ ସହାୟତା ପାଇଁ ସେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସହାୟତା ମିଳିନଥିବା ସେ କହିଛନ୍ତି। ତାଙ୍କ ନାମରେ ୧୫ ଏକର ଚାଷଜମି ଥିବା ଦର୍ଶାଯାଇଥିବାରୁ ସହାୟତା ମିଳୁନଥିବା ବିଭାଗୀୟ ଅଧିକାରୀ କହୁଥିବା ସେ ଅଭିଯୋଗ କରିଛନ୍ତି। ବାସ୍ତବରେ ତାଙ୍କ ନାମରେ ଏତେ ଜମି ଅଛି କି ନାହିଁ, ତାହା ଯାଞ୍ଚ କରି ଯୋଗ୍ୟତା ଅନୁଯାୟୀ ସରକାରୀ ସହାୟତା ଯୋଗାଇଦେବାକୁ ସେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେବଳ ଆର୍ଥିକ ସମସ୍ୟା ନୁହେଁ, ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ତାଙ୍କର ନିଜସ୍ୱ ଘର ନାହିଁ। ଅନ୍ୟତ୍ର ଆଶ୍ରୟ ନେଇ ପିଲାମାନଙ୍କ ସହ ରହୁଥିବା ଜ୍ୟୋତ୍ସ୍ନାମୟୀଙ୍କ ପାଇଁ ବର୍ଷା ଓ ଶୀତ ଦିନ ଆହୁରି କଷ୍ଟଦାୟକ ହୋଇପଡ଼େ। ତଥାପି ହାର ମାନିନାହାନ୍ତି ଜ୍ୟୋତ୍ସ୍ନାମୟୀ। ନିଜ ଜୀବନର କଷ୍ଟକୁ ସହି ତିନି ପିଲାଙ୍କୁ ପାଠ ପଢ଼ାଇବା ଏବଂ ସେମାନଙ୍କୁ ଭଲ ଭବିଷ୍ୟତ ଦେବା ପାଇଁ ତାଙ୍କ ସଂଘର୍ଷ ଜାରି ରହିଛି। ଏବେ ପ୍ରଶ୍ନ ହେଉଛି—ଜ୍ୟୋତ୍ସ୍ନାମୟୀଙ୍କ ଏହି ସଂଘର୍ଷ କେବେ କମିବ? ତିନି ପିଲାଙ୍କ ଭବିଷ୍ୟତ ପାଇଁ ଲଢ଼ୁଥିବା ଏହି ପରିବାର ପାଖରେ କେବେ ପହଞ୍ଚିବ ସରକାରୀ ସହାୟତା? ଏବେ ଏହା ଉପରେ ସମସ୍ତଙ୍କ ନଜର।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir