ପାଟଣାଗଡ଼ : ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ହୋଇଛି ଓଭରହେଡ୍ ଟାଙ୍କି। ଏଥିପାଇଁ ଖର୍ଚ୍ଚ ହୋଇଛି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା। ହେଲେ ଦୀର୍ଘ ପାଞ୍ଚ ବର୍ଷ ହେଲା ଗ୍ରାମବାସୀଙ୍କୁ ମିଳିପାରୁନାହିଁ ପାନୀୟ ଜଳ। ଏଭଳି ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ପାଟଣାଗଡ଼ ବ୍ଲକ ମରୁଆଁ ପଞ୍ଚାୟତ ଅନ୍ତର୍ଗତ ଗଞ୍ଜାଉଡ଼ାର ଗ୍ରାମବାସୀ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ ସୋମବାର ଗ୍ରାମର ଶତାଧିକ ମହିଳା ଗରା, ମାଠିଆ ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବସୁଧା ଯୋଜନାରେ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଏକ ଓଭରହେଡ୍ ଟାଙ୍କି ନିର୍ମାଣ କରାଯାଇଥିଲା। ତେବେ ନିର୍ମାଣ କାର୍ଯ୍ୟର ପ୍ରାରମ୍ଭରୁ ହିଁ ଏହାର ମାନକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇବା ସହ ତତ୍କାଳୀନ ବିଭାଗୀୟ ଅଧିକାରୀ ଓ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ଅଭିଯୋଗର ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି।ଟାଙ୍କି ନିର୍ମାଣ ଶେଷ ହେବା ପରେ ମଧ୍ୟ ଗ୍ରାମବାସୀ ଏଯାଏଁ ଏଥିରୁ ପାନୀୟ ଜଳ ପାଇପାରିନାହାନ୍ତି। ବିଶୁଦ୍ଧ ପାଣି ଟୋପାଏ ପାଇଁ ଗ୍ରାମବାସୀ ବାରମ୍ବାର ସମ୍ପୃକ୍ତ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ନ ଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହିବାରୁ ଶେଷରେ ଗ୍ରାମର ମହିଳାମାନେ ଏକଜୁଟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ଘେରାଉ ସମୟରେ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ଆନ୍ଦୋଳନରତ ମହିଳାଙ୍କ ସହ ଆଲୋଚନା କରିବା ସହ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକାରୀଙ୍କ ସହ ଏନେଇ କଥା ହୋଇଥିଲେ। ଆସନ୍ତା ଦୁଇ ଦିନ ମଧ୍ୟରେ ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ମହିଳାମାନେ ଧାରଣାରୁ ଓହରିଥିଲେ। ତେବେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପରୁ ପାଞ୍ଚ ବର୍ଷ ଧରି ଗ୍ରାମବାସୀ ପାଣି ନ ପାଇବା ଘଟଣା ଯୋଜନାର କାର୍ଯ୍ୟକାରିତା ଓ ତଦାରଖ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଏବେ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଅନୁଯାୟୀ ଦୁଇ ଦିନ ମଧ୍ୟରେ ଗ୍ରାମକୁ ଜଳଯୋଗାଣ ଆରମ୍ଭ ହେଉଛି କି ନାହିଁ, ତାହାକୁ ଗ୍ରାମବାସୀ ଅପେକ୍ଷା କରିଛନ୍ତି।
Bir yorum bırakın
E-posta adresiniz yayınlanmayacaktır. Gerekli alanlar * ile işaretlenmiştir