ଦୀପ ତିଆରିରେ ବ୍ୟସ୍ତ କାରିଗର
କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି କୁମ୍ଭାର ପରିବାର
ପାଟଣାଗଡ଼, ୪।୧୧ (ସୂପ୍ରଭାତ ଓଡ଼ିଶା): ଆଲୋକର ପର୍ବ ଦୀପାବଳି ଆସନ୍ତା ରବିବାର ପାଳିତ ହେବ। ଏହାକୁ ନେଇ ଗାଁଠୁ ସହର ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି । ଦୀପାବଳି ପାଇଁ ମାଟି ଦୀପ ତିଆରିରେ ବ୍ୟସ୍ତ ହୋଇପଡ଼ିଛନ୍ତି କୁମ୍ଭାର ପରିବାର। ପର୍ବକୁ ଆଖି ଆଗରେ ରଖି ଦିନରାତି ଏକ କରି ମାଟିକୁ ରୂପ ଦେଉଛନ୍ତି କାରିଗର । କୁମ୍ଭାର ଶାଳରେ ଏବେ ଚାଲିଛି ଚକର ଘୁଁ ଘୁଁ ଶବ୍ଦ। ହେଲେ ଆଧୁନିକ ବିଦ୍ୟୁତ୍ ଆଲୋକ ଓ ଏଲ୍ଇଡି ଲାଇଟ୍ର ଚାହିଦା ବଢ଼ୁଥିବାରୁ ପାରମ୍ପରିକ ମାଟି ଦୀପର ଚାହିଦା କମିବାକୁ ଲାଗିଛି । ଫଳରେ କୁମ୍ଭାର ପରିବାରଙ୍କ ଜୀବିକା ଏବେ ଚିନ୍ତାର କାରଣ ପାଲଟିଛି। ଦୀପାବଳି ଆସିଲେ ଘର, ମନ୍ଦିର ଓ ବିଭିନ୍ନ ଦେବାଳୟରେ ମାଟି ଦୀପ ଜାଳିବାର ପରମ୍ପରା ରହିଛି । ଏହି ପରମ୍ପରାକୁ ଆଧାର କରି କୁମ୍ଭାର ପରିବାର ବର୍ଷସାରା ଏହି ପର୍ବକୁ ଅପେକ୍ଷା କରିଥାନ୍ତି। ଦୀପାବଳି ପୂର୍ବରୁ ଦୀପ ତିଆରି କାମ ଜୋରସୋରରେ ଆରମ୍ଭ ହୋଇଯାଏ। ପରିବାରର ସମସ୍ତ ସଦସ୍ୟ ଏହି କାମରେ ଲାଗିପଡ଼ିଥାନ୍ତି । କେହି ମାଟି ଚକରେ ଦୀପ ଗଢ଼ୁଥିବାବେଳେ ଆଉ କେହି ତାହାକୁ ଶୁଖାଇବା ଓ ପୋଡ଼ିବା କାମରେ ନିୟୋଜିତ ହୋଇଥାନ୍ତି।ସମୟ ବଦଳିବା ସହ ଦୀପାବଳି ପାଳନର ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଛି। ରଙ୍ଗବେରଙ୍ଗର ଏଲ୍ଇଡି ଲାଇଟ୍, ବିଦ୍ୟୁତ୍ ଦୀପ ଓ ବିଭିନ୍ନ ଆକର୍ଷଣୀୟ ସାଜସଜ୍ଜା ସାମଗ୍ରୀ ଲୋକଙ୍କୁ ଅଧିକ ଆକୃଷ୍ଟ କରୁଛି। ଏହାର ପ୍ରଭାବରେ ମାଟି ଦୀପର ବ୍ୟବହାର କମିବାକୁ ଲାଗିଛି। ଅନ୍ୟପକ୍ଷରେ ମାଟି, ଜାଳେଣି ଓ ଶ୍ରମ ଖର୍ଚ୍ଚ ବଢ଼ିବା ସହ ତିଆରି ଦୀପର ଉଚିତ ମୂଲ୍ୟ ନ ମିଳିବା କାରିଗରଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। କୁମ୍ଭାର ପରିବାର ପାଇଁ ଏହା କେବଳ ଏକ ବୃତ୍ତି ନୁହେଁ, ବରଂ ପୂର୍ବପୁରୁଷଙ୍କଠାରୁ ମିଳିଥିବା ପାରମ୍ପରିକ କଳା ଓ ସଂସ୍କୃତିର ପରିଚୟ। ହେଲେ ଆଜିର ଯୁବପିଢ଼ି ଏହି ବୃତ୍ତି ପ୍ରତି ସେତେଟା ଆଗ୍ରହ ଦେଖାଉ ନ ଥିବାରୁ ଆଗାମୀ ଦିନରେ ଏହି କଳା ବଞ୍ଚି ରହିବ କି ନାହିଁ, ତାହାକୁ ନେଇ ଆଶଙ୍କା ଦେଖାଦେଇଛି। ମାଟି ଦୀପର ଆଲୋକ କେବଳ ଘରକୁ ଆଲୋକିତ କରେ ନାହିଁ, ଏହା ଆମ ପରମ୍ପରା ଓ ସଂସ୍କୃତିକୁ ମଧ୍ୟ ଜୀବନ୍ତ ରଖେ। ତେଣୁ କୁମ୍ଭାର ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ଏହି ପାରମ୍ପରିକ ବୃତ୍ତି ବଞ୍ଚି ରହିପାରିବ ।
Tinggalkan komentar
Alamat email Anda tidak akan dipublikasikan. Kolom yang wajib diisi ditandai *