ପାଟଣାଗଡ଼ : ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କ, ସ୍ନେହ ଓ ଶ୍ରଦ୍ଧାର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ପାଟଣାଗଡ଼ ଅଞ୍ଚଳରେ ଏବେ ଗାଁ ଠୁ ସହର ଉତ୍ସବ ମୁଖର ହୋଇଉଠିଛି । ଆସନ୍ତା ଅଗଷ୍ଟ ୨୮ ତାରିଖ ଶୁକ୍ରବାର ଶ୍ରାବଣ ପୂର୍ଣ୍ଣିମା ଅବସରରେ ରାକ୍ଷୀ ପୂର୍ଣ୍ଣିମା ସହ ପ୍ରଭୁ ବଳଦେବ ଜିଉଙ୍କ ଜନ୍ମଦିନ ପାଳନ କରାଯିବ। ଏହି ଦୁଇ ପବିତ୍ର ପରମ୍ପରାକୁ ନେଇ ପାଟଣାଗଡ଼ ସହରଠାରୁ ଆରମ୍ଭ କରି ଆଖପାଖ ଗ୍ରାମାଞ୍ଚଳରେ ଉତ୍ସାହର ମାହୋଲ ଦେଖାଦେଇଛି | ରାକ୍ଷୀ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ଭାଇ-ଭଉଣୀଙ୍କ ଅତୁଟ ଭଲପାଇବା, ପାରିବାରିକ ବନ୍ଧନ ଓ ପରସ୍ପର ପ୍ରତି ଥିବା ଦାୟିତ୍ବ ବୋଧର ଏକ ଅନନ୍ୟ ପ୍ରତୀକ । ଶ୍ରାବଣ ପୂର୍ଣ୍ଣିମା ଦିନ ଭଉଣୀମାନେ ନୂଆ ବସ୍ତ୍ର ପରିଧାନ କରି ଚନ୍ଦନ, ହଳଦୀ, ଦୀପ, ଅରୁଆ ଚାଉଳ ଓ ଅନ୍ୟ ପୂଜା ସାମଗ୍ରୀରେ ଥାଳି ସଜାଇଥାନ୍ତି। ଭାଇଙ୍କ ମଥାରେ ଚନ୍ଦନ ଓ ଅକ୍ଷତ ଲଗାଇ ଆରତି କରିବା ପରେ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ସୁଖ ଓ ସମୃଦ୍ଧି କାମନା କରିଥାନ୍ତି I ଭାଇ ମଧ୍ଯ ଭଉଣୀର ସୁଖଦୁଃଖରେ ସବୁବେଳେ ପାଖରେ ରହିବାର ପ୍ରତିଶ୍ରୁତି ଦେଇଥାନ୍ତି I ଏବେ ଦୋକାନ ଗୁଡ଼ିକରେ ରଙ୍ଗବେରଙ୍ଗର ରାକ୍ଷୀ ସଜାଯାଇଥିବାରୁ ବଜାରର ଚିତ୍ର ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଛି। ଛୋଟ ପିଲାଙ୍କ ପାଇଁ କାର୍ଟୁନ ଚରିତ୍ର ଥିବା ରାକ୍ଷୀଠାରୁ ଆରମ୍ଭକରି ଯୁବପିଢ଼ିଙ୍କ ପସନ୍ଦର ଆକର୍ଷଣୀୟ ଡିଜାଇନ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ରାକ୍ଷୀ ବଜାରରେ ଉପଲବ୍ଧ ହେଉଛି । ଚଳିତବର୍ଷ ବଜାରରେ ବିଶେଷ କରି ବ୍ରେସଲେଟ୍ ଶୈଳୀର ଷ୍ଟୋନ୍ ରାକ୍ଷୀ ପ୍ରତି ଗ୍ରାହକଙ୍କ ଆକର୍ଷଣ ଅଧିକ ରହିଛି | ଏଥିସହ ମୁକୁତା, ରଙ୍ଗିନ ପଥର, ଫ୍ୟାନ୍ସି ଡିଜାଇନ୍ ଓ ବିଭିନ୍ନ ଆକୃତିର ରାକ୍ଷୀ ମଧ୍ୟ ଗ୍ରାହକଙ୍କୁ ଆକର୍ଷିତ କରୁଛି । ୫ଟଙ୍କାରୁ ଆରମ୍ଭକରି ୫୦୦ ଟଙ୍କା ପର୍ଯ୍ୟନ୍ତ ଦରରେ ରାକ୍ଷୀ ମିଳୁଥିବାରୁ ସମସ୍ତ ବର୍ଗର ଗ୍ରାହକ ନିଜ ସାମର୍ଥ୍ୟ ଅନୁଯାୟୀ ରାକ୍ଷୀ କିଣିପାରୁଛନ୍ତି।ପାଟଣାଗଡ଼ର ରାକ୍ଷୀ ବଜାରରେ କେବଳ ବ୍ୟବସାୟିକ ଚଳଚଞ୍ଚଳତା ନୁହେଁ, ଏହା ସହ ଜଡ଼ିତ ରହିଛି ଓଡ଼ିଆ ପରିବାରର ଏକ ସୁନ୍ଦର ସାଂସ୍କୃତିକ ପରମ୍ପରା। ବିବାହ ପରେ ଦୂରରେ ରହୁଥିବା ଭଉଣୀମାନେ ମଧ୍ୟ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବାପଘରକୁ ଆସିବାକୁ ଅପେକ୍ଷା କରିଥାନ୍ତି । କେହି କେହି ଦୂରରେ ଥିବା ଭାଇଙ୍କ ପାଖକୁ ଡାକ ମାଧ୍ୟମରେ ରାକ୍ଷୀ ପଠାଇ ଏହି ପବିତ୍ର ସମ୍ପର୍କକୁ ଜୀବନ୍ତ ରଖିଥାନ୍ତି । ତେଣୁ ରାକ୍ଷୀର ସୂତା କେବଳ ହାତରେ ବନ୍ଧା ହୁଏ ନାହିଁ, ଏହା ମନ ଓ ହୃଦୟକୁ ମଧ୍ୟ ଏକ ସ୍ନେହର ବନ୍ଧନରେ ବାନ୍ଧି ରଖେ । ଅନ୍ୟ ପକ୍ଷରେ ରାକ୍ଷୀ ବ୍ୟବସାୟୀମାନେ ମଧ୍ୟ ଚଳିତ ବର୍ଷ ବ୍ୟବସାୟ ଭଲ ହେବ ବୋଲି ଆଶା ରଖିଛନ୍ତି। ଦୀର୍ଘଦିନ ପରେ ବଜାରରେ ରାକ୍ଷୀ କିଣାବିକାର ଏଭଳି ଚଳ ଚଞ୍ଚଳତା ଦେଖାଯାଉଥିବାରୁ ସେମାନଙ୍କ ମନରେ ଉତ୍ସାହ ବଢ଼ିଛି। ପର୍ବ ଯେତିକି ପାଖେଇ ଆସୁଛି, ବଜାରରେ ଗ୍ରାହକଙ୍କ ଭିଡ଼ ସେତିକି ବଢ଼ିବ ବୋଲି ବ୍ୟବ ସାୟୀ ମାନେ ଆଶା କରୁଛନ୍ତି । ପାଟଣାଗଡ଼ ଅଞ୍ଚଳରେ ସାମାଜିକ ଓ ସାଂସ୍କୃତିକ ଜୀବନରେ ପର୍ବପର୍ବାଣିର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ରାକ୍ଷୀ ପୂର୍ଣ୍ଣିମା ଏହି ପରମ୍ପରାକୁ ଆହୁରି ସମୃଦ୍ଧ କରେ । ଭାଇ ଭଉଣୀଙ୍କ ସ୍ନେହର ସୂତା, ଅନ୍ୟପଟେ ପ୍ରଭୁ ବଳଦେବ ଜିଉଙ୍କ ଜନ୍ମଗ୍ଲୋବ ଦୁଇ ଧାର୍ମିକ ଓ ସାଂସ୍କୃତିକ ଭାବଧାରା ମିଶି ଶ୍ରାବଣ ପୂର୍ଣ୍ଣିମାକୁ ଏକ ନିଆରା ଉତ୍ସବର ରୂପ ଦେଇଥାଏ | ଆଗାମୀ ଦିନରେ ବଜାର ଆହୁରି ଚଳଚଞ୍ଚଳ ହେବା ସହ ସ୍ନେହ, ଶ୍ରଦ୍ଧା ଓ ବିଶ୍ବାସର ଏହି ପର୍ବ ସମସ୍ତଙ୍କ ଘରେ ହସଖୁସି ଓ ଆନନ୍ଦର ରଙ୍ଗ ଭରିଦେବ ।
Để lại bình luận
Địa chỉ email của bạn sẽ không được công khai. Các trường bắt buộc được đánh dấu *