ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ପଞ୍ଚାୟତ ଅନ୍ତର୍ଗତ କୁତୁର୍ଲା ଗ୍ରାମସ୍ଥିତ ଐତିହାସିକ ଶିବ ମନ୍ଦିର ପରିସରରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଶୁକ୍ରବାର ଭକ୍ତିମୟ ପରିବେଶ ମଧ୍ୟରେ ଏକ ସ୍ୱତନ୍ତ୍ର ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ରଚିତ ‘ସ୍ୱୟଂଭୂ ଶିବ ମହାଦେବ’ ପୁସ୍ତକକୁ ବିଶିଷ୍ଟ ଅତିଥି ମାନେ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ। ପୁସ୍ତକରେ କୁତୁର୍ଲାର ସ୍ୱୟଂଭୂ ଶିବଲିଙ୍ଗଙ୍କ ଦିବ୍ୟ ଆବିର୍ଭାବ ସମ୍ପର୍କିତ ଲୋକ ପ୍ରଚଳିତ ଘଟଣାବଳୀ, ମନ୍ଦିରର ଐତିହ୍ୟ ଓ ଆଧ୍ୟାତ୍ମିକ ପରମ୍ପରା ସହ ଶିବ ପୁରାଣ ଆଧାରିତ ଶିବରାତ୍ରି ଉତ୍ସବ,ସ୍ୱତନ୍ତ୍ର ପୂଜାବିଧି, ଶିବ ସ୍ତୁତି, ଆରତି ଓ ଅଭିଷେକ ବିଧି ସ୍ଥାନ ପାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ର, ସମାଜସେବୀ ତଥା ଅବସରପ୍ରାପ୍ତ ବ୍ୟାଙ୍କ ପ୍ରବନ୍ଧକ ଘନଶ୍ୟାମ ମେହେର ଉପସ୍ଥିତ ଥିଲେ ।
ଗିରିଧାରୀ ଭୋଇ ମଞ୍ଚ ପରିଚାଳନା କରିଥିବାବେଲେ ବଲାଙ୍ଗିର କିସ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଆକାଶ କୁମାର ମିଶ୍ର ଏବଂ ସ୍ୱତନ୍ତ୍ର ଅତିଥି ଖପ୍ରାଖୋଲ ସରପଞ୍ଚ ସଂଘର ସଭାପତି ସୁଶୀଲ ଗୁରୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ କୁତୁର୍ଲାର ପ୍ରାଚୀନ ଶୈବ ପରମ୍ପରା, ସ୍ୱୟଂଭୂ ଶିବ ମହାଦେବଙ୍କ ମହିମା ଓ ସ୍ଥାନୀୟ ଧାର୍ମିକ ଐତିହ୍ୟକୁ ଲିପିବଦ୍ଧ କରି ଆଗାମୀ ପିଢ଼ି ପାଇଁ ସଂରକ୍ଷଣ କରିବା ଦିଗରେ ଏହି ପୁସ୍ତକ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁତୁର୍ଲା ଓ ଆଖପାଖ ଅଞ୍ଚଳର ଶତାଧିକ ପୁରୁଷ, ମହିଳା, ଶ୍ରଦ୍ଧାଳୁ ଓ ଶିବଭକ୍ତ ଉପସ୍ଥିତ ରହିବା ସହ ପରମାନନ୍ଦ ସାହୁ,ରାମଚନ୍ଦ୍ର ମୁର୍ମୁ, ନୀଳମାଧଵ ଶତପଥୀ,ଜୟଦେବ ବରିହା, ଜଳ ଧରୁଆ, ରମେଶ ସାହୁ, ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l
Leave a comment
Your email address will not be published. Required fields are marked *