ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଯୁଗିମୁଣ୍ଡା ଗ୍ରାମର ସାପ୍ତାହିକ ଗୋରୁବଜାର ନିକଟରେ ବୁଧବାର ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପାଟଣାଗଡ଼ ଡିଭିଜନ ପକ୍ଷରୁ ଉପଖଣ୍ଡସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଶିବାନନ୍ଦ ପରିଚ୍ଛାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସାଂଗଠନିକ ସମ୍ପାଦକ ସଞ୍ଜିତ କୁମାର ମହାନ୍ତି ମୁଖ୍ୟ ଅତିଥି ଏବଂ ରାଜ୍ୟ ଉପସଭାପତି ଗୋକୁଳ ମେହେର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ନୂଆଁଖାଇ ଭେଟଘାଟ ଭାଇଚାରା ଓ ସାମାଜିକ ଏକତାର ବାର୍ତ୍ତା ବହନ କରେ ବୋଲି କହିବା ସହ କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ମୁନସୀ ଓ ଫଡ଼ିସାଥୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସଂଘ ପକ୍ଷରୁ କେନ୍ଦୁପତ୍ର କର୍ମଚାରୀଙ୍କ ସର୍ବନିମ୍ନ ମଜୁରି ଅନୁପାତରେ ଦରମା ବୃଦ୍ଧି, ତୋଳାଳୀଙ୍କ ବୋନସ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ପୁନଃ ପ୍ରଚଳନ, ଝିଅଙ୍କ ବିବାହ ପାଇଁ ଆର୍ଥିକ ସହାୟତା ଏବଂ ମୃତ୍ୟୁକାଳୀନ ସହାୟତା ରାଶି ୪ ଲକ୍ଷ ଟଙ୍କାକୁ ବୃଦ୍ଧି ଆଦି ଦାବି ଉପସ୍ଥାପନ କରାଯାଇଥିଲା । ଏଥିସହ କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ମୁନସୀ ଓ ଫଡ଼ିସାଥୀଙ୍କ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ନ କଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଦୀପ ପୁରୋହିତ, ସଞ୍ଜୀବ ମିଶ୍ର, ଧ୍ରୁବଚରଣ ଚାନ୍ଦ, ଜଳଛତର, ମନୋଜ ସାହୁ, ଶାନ୍ତନୁ ଭୂଏ, ଭୂବନ, ସୁଜନ ପଣ୍ଡା, ବିଭୂତି ଭୂଷଣ ସାଏ, ହିମାଂଶୁ ସାହୁ ଓ ପ୍ରତାପ ମେହେରଙ୍କ ସମେତ ୫ ଶହରୁ ଊର୍ଦ୍ଧ୍ୱ କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ମୁନସୀ, ଫଡ଼ିସାଥୀ ଓ ତୋଳାଳୀ ଯୋଗଦେଇଥିଲେ।
Leave a comment
Your email address will not be published. Required fields are marked *