ପାଟଣାଗଡ଼, (ସୂପ୍ରଭାତ ଓଡ଼ିଶା): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କୁହାବାଉଁଶ ଗ୍ରାମରେ ରବିବାର ପାଟଣାଗଡ଼ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳରେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଏହି ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ବଲାଙ୍ଗୀର ଜିଲ୍ଲା ବିଜେଡି ସଭାପତି ତଥା ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ଗ୍ରାମର ପ୍ରବେଶ ପଥ ନିକଟରେ ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଏକତ୍ରିତ ହୋଇ ମୁଖ୍ୟ ଅତିଥି ଶ୍ରୀ ମେହେର ଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ ଜଣାଇଥିଲେ। ପରେ ପୂର୍ବତନ ବିଧାୟକ ଶ୍ରୀ ମେହେରଙ୍କ ନେତୃତ୍ୱରେ ପଦଯାତ୍ରାରେ ବାହାରି ଗ୍ରାମର ମୁଖ୍ୟ ରାସ୍ତା ଦେଇ ବିଭିନ୍ନ ପଡାକୁ ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଧ୍ୟମରେ ଗ୍ରାମାଞ୍ଚଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ସମନ୍ୱୟ ଓ ସାଂଗଠନିକ ସକ୍ରିୟତା ବୃଦ୍ଧି ପାଇଁ ପ୍ରୟାସ କରାଯାଇଥିଲା। ଏହି ଜନସମ୍ପର୍କ ପଦଯାତ୍ରାରେ ଶତାଧିକ ମହିଳା ,ପୁରୁଷ ଓ ଦଳୀୟ କର୍ମୀ ଯୋଗଦେଇ ଉପସ୍ଥିତ ଥିଲେ ।
Leave a comment
Your email address will not be published. Required fields are marked *