ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ କେନ୍ଦୁମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିନ୍ଧନପଦର ଗାଁରେ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଉକ୍ତ ଗାଁର ବୃଦ୍ଧ ନିରଞ୍ଜନ ଧାରୁଆ (୭୨) ଓ ତାଙ୍କ ସ୍ତ୍ରୀ ରଜନୀ ଧାରୁଆ (୬୦) ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ ହେଁ, ହାତୀ ଆକ୍ରମଣରେ ସେମାନଙ୍କ ବାସଗୃହ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଏଥିସହ ଘରେ ଥିବା ସମସ୍ତ ଆସବାବପତ୍ର, ଲୁଗାପଟା, ଚାଉଳ ଓ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି । ସର୍ବସ୍ୱ ହରାଇ ଏବେ ଏହି ବୃଦ୍ଧ ଦମ୍ପତି ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି ।ଅନ୍ୟପଟେ, ବାର୍ଦ୍ଧକ୍ୟ ଓ ଦାରିଦ୍ର୍ୟ ଯୋଗୁଁ ଏହି ପ୍ରକୃତ ହିତାଧିକାରୀଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚିବା ଏବେ ବି ଏକ ବଡ଼ ପ୍ରଶ୍ନବାଚୀ। ରଜନୀ ସରକାରୀ ଯୋଜନା ଲାଭ ପାଉଥିବା ବେଳେ ତାଙ୍କ ସ୍ୱାମୀ ନିରଞ୍ଜନ ଆଜି ବି ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି । ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ସହ ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁଁ ସେମାନେ ନିଜେ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚି ଅଭିଯୋଗ ଜଣାଇବାକୁ ବି ଅସମର୍ଥ । ସରକାରଙ୍କ ବିଭିନ୍ନ ଯୋଜନା ଘରେ ଘରେ ପହଞ୍ଚୁଛି ବୋଲି ସହରମାନଙ୍କରେ ଡିଜିଟାଲ ସ୍କ୍ରିନ୍ରେ ସିନେମା ପରଦା ଭଳି ବ୍ୟାପକ ପ୍ରଚାର କରାଯାଉଥିଲେ ହେଁ, ଗ୍ରାଉଣ୍ଡ ଜିରୋରେ ଏଭଳି ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚି ନପାରିବା ପ୍ରଶାସନିକ ଦୂରଦୃଷ୍ଟିର ଅଭାବକୁ ଦର୍ଶାଉଛି । ଏହି ସଙ୍କଟ ଜନକ ସମୟରେ କୋଶଲ ମୁକ୍ତି ମୋର୍ଚ୍ଚା ଗ୍ରାଉଣ୍ଡ ଜିରୋରେ ପହଞ୍ଚି ପ୍ରଭାବିତ ପରିବାର ପ୍ରତି ମାନବିକତାର ହାତ ବଢ଼ାଇଛି। ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର, ରମେଶ ଜୈନ, ବିମଳ ବାଗ ଓ ଦିଲୀପ ଭୋଇ ବିନ୍ଧନପଦର ଗାଁରେ ପହଞ୍ଚି ବୃଦ୍ଧ ଦମ୍ପତି ନିରଞ୍ଜନ ଓ ରଜନୀଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ଦୁଃଖ ଅନୁଧ୍ୟାନ କରିଛନ୍ତି। କେବଳ ସାନ୍ତ୍ୱନା ନୁହେଁ, ପରିବାରର ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୋର୍ଚ୍ଚା ତରଫରୁ ଗୋଟିଏ ବସ୍ତା ଚାଉଳ ଓ ପନିପରିବା ଯୋଗାଇ ଦିଆଯାଇଛି । ଅନ୍ୟପଟେ, ଆଜି ସକାଳେ ଗ୍ରାମବାସୀଙ୍କ କହିବା ଅନୁସାରେ ଉକ୍ତ ଜଙ୍ଗଲୀ ହାତୀଟି ଗ୍ରାମ ପାଖରେ ଥିବା ପାହାଡ଼ରେ ଦେଖିବାକୁ ମିଳିଥିବାରୁ ଗ୍ରାମବାସୀ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ତରଫରୁ ହାତୀର ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ବନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୋଟିଏ ଦନ୍ତା ହାତୀ ଉକ୍ତ ଅଞ୍ଚଳରେ ସକ୍ରିୟ ଥିବାରୁ ବନ କର୍ମଚାରୀ ଓ ସ୍କ୍ୱାଡ୍ ଟିମ୍ ନିରନ୍ତର ଟ୍ରାକିଂ କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି । ଏଥିସହ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ସରକାରୀ ନିୟମାନୁସାରେ ଆବଶ୍ୟକ ଅନୁକମ୍ପା ସହାୟତା ଓ କ୍ଷତିପୂରଣ ଯୋଗାଇ ଦେବା ପାଇଁ ପ୍ରକ୍ରିୟା ଶୀଘ୍ର କରାଯିବ ବୋଲି ପ୍ରଶାସନିକ ସ୍ତରରେ ସୂଚନା ଦିଆଯାଇଛି । ତେବେ କୋଶଲ ମୁକ୍ତି ମୋର୍ଚ୍ଚା ପ୍ରଭାବିତ ପରିବାରକୁ ତୁରନ୍ତ ଆବାସ ଓ କ୍ଷତିପୂରଣ ଦେବା ଦାବିରେ ସୋମବାର ଦିନ ପାଟଣାଗଡ଼ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି । କେବଳ ପ୍ରତିଶ୍ରୁତି ନୁହେଁ, ଅନେକ ସମୟରେ ପ୍ରଶାସନିକ କାଗଜପତ୍ର କେବଳ ସାଧା କାଗଜ ହୋଇ ରହି ଫାଇଲ ତଳେ ଦବି ଯାଏ। ପ୍ରଶାସନିକ ସହାୟତା କେବଳ ପ୍ରତିଶ୍ରୁତିରେ ସୀମିତ ନରହି ଯଥାଶୀଘ୍ର ଗ୍ରାଉଣ୍ଡ ସ୍ତରରେ ପହଞ୍ଚିଲେ ହିଁ ଏହି ନିରୀହ ବୃଦ୍ଧ ଦମ୍ପତିଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ ବୋଲି କୋଶଲ ମୁକ୍ତି ମୋର୍ଚ୍ଚା କହିଛି ।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *