୧୦ ଲକ୍ଷ ଟଙ୍କା ମଞ୍ଜୁର, ଭୂମିପୂଜନ ବି ସରିଛି; ନିର୍ମାଣ ସ୍ଥଳରେ ଇଟା ଖଣ୍ଡେ ପଡ଼ିନି
ପ୍ରଶାସନର ନିରବତାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ
ପାଟଣାଗଡ଼ (ସୂପ୍ରଭାତ ଓଡ଼ିଶା): ସାମ୍ବାଦିକଙ୍କ ପାଇଁ ଏକ ସ୍ଥାୟୀ ଭବନ ନିର୍ମାଣର ସ୍ୱପ୍ନ ଦୀର୍ଘଦିନ ହେଲା ଅଧୁରା ହୋଇ ରହିଛି। ରାଜନୈତିକ ଛକାପଞ୍ଝା ଓ ପ୍ରଶାସନିକ ଉଦାସୀନତା ମଧ୍ୟରେ ଅଟକି ରହିଛି ପାଟଣାଗଡ଼ ସାମ୍ବାଦିକ ଭବନ ନିର୍ମାଣ ପ୍ରକଳ୍ପ। ୧୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହେବା ସହ ଧୁମାଭଟା ଛକ ନିକଟରେ ବିଧିବଦ୍ଧ ଭାବେ ଜମି ଚିହ୍ନଟ ସହ ଭୂମିପୂଜନ ମଧ୍ୟ ସରିଥିଲା । ହେଲେ ଭୂମିପୂଜନକୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ ସ୍ଥଳରେ ଇଟା ଖଣ୍ଡେ ପଡ଼ିନାହିଁ । ଫଳରେ ଘୋଷଣା ଓ ଶିଳାନ୍ୟାସରେ ସୀମିତ ରହିଯାଇଛି ସାମ୍ବାଦିକ ଭବନ ନିର୍ମାଣ ଯୋଜନା । ସୂଚନା ଅନୁଯାୟୀ, ପୂର୍ବତନ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ବିଧାୟକ ପାଣ୍ଠିରୁ ସାମ୍ବାଦିକ ଭବନ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏଥିପାଇଁ ପାଟଣାଗଡ଼ ଏନ୍ଏସି ଅନ୍ତର୍ଗତ ଧୁମାଭଟା ଛକ ନିକଟରେ ଜମି ଚିହ୍ନଟ କରାଯାଇ ଭୂମିପୂଜନ କରାଯାଇଥିଲା। ଏହାକୁ ନେଇ ସ୍ଥାନୀୟ ସାମ୍ବାଦିକ ମହଲରେ ଆଶା ସଞ୍ଚାର ହୋଇଥିଲା । କିନ୍ତୁ ଇତିମଧ୍ୟରେ ଦିନ ପରେ ଦିନ ବିତିଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବା ସମସ୍ତଙ୍କୁ ନିରାଶ କରିଛି ।ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନେଇ ସାମ୍ବାଦିକ ସଂଘ ପକ୍ଷରୁ ବାରମ୍ବାର ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇ ଦାବି ଜଣାଯାଇଛି। ଅଟକି ରହିଥିବା ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବା ସହ ମଞ୍ଜୁର ଅନୁଦାନର ସଦୁପଯୋଗ କରିବାକୁ ସଂଘ ଦାବି କରିଆସୁଛି । ହେଲେ ଏଯାଏଁ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଫଳରେ ଏହି ପ୍ରକଳ୍ପ କେବେ ବାସ୍ତବ ରୂପ ନେବ, ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ପାଟଣାଗଡ଼ ଏକ ଉପଖଣ୍ଡ ସଦର ମହକୁମା ହୋଇଥିବାରୁ ଏଠାରେ ବହୁ ସାମ୍ବାଦିକ ବିଭିନ୍ନ ଗଣମାଧ୍ୟମ ପାଇଁ କାର୍ଯ୍ୟରତ ଅଛନ୍ତି । ସରକାରୀ ଯୋଜନା, ପ୍ରଶାସନିକ କାର୍ଯ୍ୟକ୍ରମ, ଜନସମସ୍ୟା ଓ ଅଞ୍ଚଳର ବିକାଶ ମୂଳକ ଖବର ଲୋକ ଲୋଚନକୁ ଆଣିବାରେ ସେମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି । ହେଲେ ସାମ୍ବାଦିକଙ୍କ ସାମୂହିକ ବୈଠକ, ଆଲୋଚନା, ଖବର ସମ୍ପର୍କିତ ସମନ୍ୱୟ ଓ ବିଭିନ୍ନ ସାଂଗଠନିକ କାର୍ଯ୍ୟ ପାଇଁ ଆଜି ବି ଏକ ସ୍ଥାୟୀ ସ୍ଥାନର ଅଭାବ ରହିଛି । ଏଭଳି ସ୍ଥିତିରେ ମଞ୍ଜୁର ଅନୁଦାନ ସତ୍ତ୍ୱେ ଭବନ ନିର୍ମାଣ ଅଟକି ରହିବା ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି ।ଅନ୍ୟପକ୍ଷରେ, ଅନୁଦାନ ମଞ୍ଜୁର ହୋଇଥିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ କାହିଁକି ଆରମ୍ଭ ହୋଇନାହିଁ, ମଞ୍ଜୁର ହୋଇଥିବା ୧୦ ଲକ୍ଷ ଟଙ୍କା କେଉଁଠି ଓ କେଉଁ ସ୍ଥିତିରେ ରହିଛି, ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ କେଉଁଠି ବାଧା ରହିଛି, ସେନେଇ ସ୍ପଷ୍ଟତା ଆସିପାରିନାହିଁ । ଏହାକୁ ନେଇ ସାମ୍ବାଦିକ ମହଲରେ ନାନା ପ୍ରଶ୍ନ ଉଠୁଛି । ସାମ୍ବାଦିକ ଭବନ କୌଣସି ରାଜନୈତିକ ଦଳର ପ୍ରତିଷ୍ଠା ବା ସ୍ୱାର୍ଥର ପ୍ରସଙ୍ଗ ନୁହେଁ; ଏହା ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ସାମୂହିକ ଆବଶ୍ୟକତା । ତେଣୁ ରାଜନୈତିକ ମତଭେଦକୁ ପଛରେ ପକାଇ ପ୍ରଶାସନ ଏହି ପ୍ରକଳ୍ପକୁ ଗୁରୁତ୍ୱ ଦେବା ଆବଶ୍ୟକ। ମଞ୍ଜୁର ଅର୍ଥର ବର୍ତ୍ତମାନ ସ୍ଥିତି ସ୍ପଷ୍ଟ କରିବା ସହ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ସାମ୍ବାଦିକ ସଂଘ ପକ୍ଷରୁ ଦାବି ହୋଇଛି ।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *