ପାଟଣାଗଡ଼: ସମୟ ବଦଳିଛି, ବଦଳିଛି ଶାସନ ବ୍ୟବସ୍ଥା । ଆଉ ନାହିଁ ରାଜତନ୍ତ୍ର, କିନ୍ତୁ ମଉଳି ଯାଇନାହିଁ ରାଜ ପରମ୍ପରା । ପୂର୍ବପୁରୁଷଙ୍କ ଐତିହ୍ୟ ଓ ସଂସ୍କୃତିକୁ ଆଜିବି ବଞ୍ଚାଇ ରଖିଛି ପାଟଣାଗଡ଼ ରାଜ ପରିବାର । ଏହାର ଏକ ନିଆରା ଉଦାହରଣ ହେଉଛି ବିଜୟା ଦଶମୀ ଅବସରରେ ଆୟୋଜିତ ପାରମ୍ପରିକ ଲାଖବିନ୍ଧା ଉତ୍ସବ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାଟଣାଗଡ଼ ରାଜଖମାର ପରିସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ଉତ୍ସବ ପାଳିତ ହୋଇଛି । ପାଟଣାଗଡ଼ ମହାରାଜା କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ରାଜ ପରିବାର ପକ୍ଷରୁ ମଙ୍ଗଳବାର ଏହି ପାରମ୍ପରିକ ଉତ୍ସବ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ରାଜ ପରିବାରର ସଦସ୍ୟମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧାରଣ କରି ରାଜଖମାର ପରିସରରେ ଥିବା ଇଷ୍ଟଦେବୀ ମା’ ଦଶମତୀଙ୍କ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମା’ଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ପୂଜାବିଧି ଶେଷ ହେବା ପରେ ରାଜ ପରିବାରର ସଦସ୍ୟମାନେ ଲାଖବିନ୍ଧା ସ୍ଥଳକୁ ଯାଇ ଉତ୍ସବର ଶୁଭାରମ୍ଭ କରିଥିଲେ । ପାଟଣାଗଡ଼ର ଏହି ଲାଖବିନ୍ଧା ଉତ୍ସବ କେବଳ ଏକ ପାରମ୍ପରିକ ଆୟୋଜନ ନୁହେଁ, ବରଂ ଏହା ଅଞ୍ଚଳର ଐତିହାସିକ ପରମ୍ପରା, ସାଂସ୍କୃତିକ ପରିଚୟ ଓ ରାଜ ପରିବାରର ପୂର୍ବ ଗୌରବକୁ ପ୍ରତିଫଳିତ କରିଥାଏ । ପିଢ଼ି ପରେ ପିଢ଼ି ଧରି ପାଳିତ ହୋଇଆସୁଥିବା ଏହି ଉତ୍ସବ ଆଜି ବି ପାଟଣାଗଡ଼ର ଐତିହ୍ୟ ସହ ଜଡ଼ିତ ରହିଛି । ରାଜତନ୍ତ୍ରର ଅବସାନ ପରେ ମଧ୍ୟ ଏଭଳି ପରମ୍ପରାର ସଂରକ୍ଷଣ ଅଞ୍ଚଳର ଇତିହାସ ଓ ସଂସ୍କୃତିକୁ ନୂଆ ପିଢ଼ି ସହ ଯୋଡ଼ି ରଖିବାରେ ସହାୟକ ହେଉଛି । ବିଜୟା ଦଶମୀରେ ଲାଖବିନ୍ଧା ଉତ୍ସବର ଆୟୋଜନ ମାଧ୍ୟମରେ ପାଟଣାଗଡ଼ର ରାଜ ପରମ୍ପରା ଆଜି ବି ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *