ବଲାଙ୍ଗିର:ସାମ୍ବାଦିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ପେନସନ୍ ଓ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି କରିବାକୁ ଦାବି ହୋଇଛି। ଏଥିସହ ରାଜଧାନୀରେ ବିଭିନ୍ନ କାର୍ଯ୍ୟରେ ଯାଉଥିବା ସାମ୍ବାଦିକଙ୍କ ରହଣି ପାଇଁ ଏକ ବଙ୍ଗଳା ନିର୍ମାଣ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଏସ୍.ୟୁ.ଜେ.)ର ବଲାଙ୍ଗିର ଶାଖା ପକ୍ଷରୁ ଦାବି କରାଯାଇଛି। ସ୍ଥାନୀୟ ସାମ୍ବାଦିକ ଭବନର ସମ୍ମିଳନୀ କକ୍ଷରେ ଏସ୍.ୟୁ.ଜେ. ବଲାଙ୍ଗିର ଶାଖାର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଜିଲ୍ଲା ସଭାପତି ଶରତ କୁମାର ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା, ସାମାଜିକ ସୁରକ୍ଷା ଏବଂ ସାମ୍ବାଦିକତାର ମାନ ବଜାୟ ରଖିବା ନେଇ ଆଲୋଚନା ହୋଇଥିଲା । ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ଏସ୍.ୟୁ.ଜେ.ର ରାଜ୍ୟ ଉପଦେଷ୍ଟା ଗୋପବନ୍ଧୁ ଶତପଥୀ, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ବିମଳ ଚନ୍ଦ୍ର ହୋତା, ବଲାଙ୍ଗିର ଶାଖା ଉପସଭାପତି ରୋହନ ମହତ ଓ କୋଷାଧ୍ୟକ୍ଷ ଶ୍ରୀମନ୍ତ ପଣ୍ଡା ମଞ୍ଚାସୀନ ଥିଲେ। ସେମାନେ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ସାମ୍ବାଦିକଙ୍କ ମଧ୍ୟରେ ଏକତା ଓ ସହଯୋଗ ବଜାୟ ରଖିବା ଉପରେ ମତ ରଖିଥିଲେ। ଏହି ଅବସରରେ ଏସ୍.ୟୁ.ଜେ. ଓଡ଼ିଶାର ରାଜ୍ୟ ଉପସଭାପତି ମହେନ୍ଦ୍ର କୁମାର ଦର୍ଜୀଙ୍କ ସମେତ ସାମ୍ବାଦିକ ସୁଧୀର କୁମାର ମିଶ୍ର, ବଳରାମ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ବାଳକୃଷ୍ଣ ଷଡ଼ଙ୍ଗୀ, ପବନ ଅଗ୍ରୱାଲ, ତୁଲସୀରାମ ଜଗତ ଓ ଯୁଗଳ କିଶୋର ଶବର ପ୍ରମୁଖ ନିଜ ମତ ଉପସ୍ଥାପନ କରିଥିଲେ।ସତ୍ୟ ଓ ତଥ୍ୟଭିତ୍ତିକ ଖବର ପରିବେଷଣ ମାଧ୍ୟମରେ ସାମ୍ବାଦିକମାନେ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ଆବଶ୍ୟକ ବୋଲି ବରିଷ୍ଠ କର୍ମକର୍ତ୍ତାମାନେ ମତ ଦେଇଥିଲେ। ସାମ୍ବାଦିକତାର ନୈତିକତା ଓ ବିଶ୍ୱସନୀୟତା ରକ୍ଷା କରିବା ସହ ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଆଗକୁ ନେବାକୁ ସେମାନେ ଉପସ୍ଥିତ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ସାମ୍ବାଦିକ ଅଭିଳାଷ ହୋତା, ରଶ୍ମିରଞ୍ଜନ ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ, ମୋହନ ସୁନା, ସନ୍ତୋଷ ଠାକୁର, ଚିତ୍ରସେନ ବେହେରା ଓ ସମୀର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ବଲାଙ୍ଗିର ଶାଖାର ସାଧାରଣ ସମ୍ପାଦକ ରଘୁନନ୍ଦନ ସିଂ ସଭା ସଂଯୋଜନା କରିଥିବା ବେଳେ ରାଧାକ୍ରିଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *