ଭୁବନେଶ୍ୱର: MMDR ଆଇନ ସଂଶୋଧନକୁ ବିରୋଧ କରି ବିଜେଡି ପକ୍ଷରୁ ଆଜି ଲୋୟର ପିଏମ୍ଜିରେ ବିଶାଳ ଗଣବିକ୍ଷୋଭ ଆୟୋଜନ କରାଯିବ। ଏଥିରେ ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ଦଳର ବରିଷ୍ଠ ନେତା, ସାଂସଦ ଓ ବିଧାୟକମାନେ ସାମିଲ ହେବେ। ସଂଶୋଧିତ ଖଣି ଆଇନ ଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଉପରେ ଅଧିକାର ଓ ରାଜସ୍ୱ ଆଦାୟ ପ୍ରଭାବିତ ହେବ ବୋଲି ବିଜେଡି ଅଭିଯୋଗ କରିଛି। ଆଇନର ପ୍ରତ୍ୟାହାର ଏବଂ ରାଜ୍ୟର ସ୍ୱାର୍ଥ ସୁରକ୍ଷା ଦାବିରେ ଏହି ଆନ୍ଦୋଳନ କରାଯାଉଛି। ୨୦୨୪ ଜୁଲାଇ ୨୫ର ସୁପ୍ରିମକୋର୍ଟଙ୍କ ରାୟ ପରେ ଖଣି ଓ ଖଣିଜ ଜମି ଉପରେ ରାଜ୍ୟମାନଙ୍କ ଟିକସ ଓ ଲେଭି ଆଦାୟ ଅଧିକାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିଜେଡିର ଦାବି ଅନୁସାରେ, ଏହି ରାୟ ଫଳରେ ଓଡ଼ିଶା ପୁରୁଣା ବକେୟା ବାବଦରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ଏବଂ ବର୍ଦ୍ଧିତ ରାଜସ୍ୱ ବାବଦରେ ପ୍ରାୟ ୧୨ ହଜାର କୋଟି ଟଙ୍କା ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା। ତେବେ MMDR ଆଇନ ସଂଶୋଧନ ଯୋଗୁଁ ରାଜ୍ୟର ଏହି ରାଜସ୍ୱ ଅଧିକାର ପ୍ରଭାବିତ ହେଉଥିବା ବିଜେଡି ପକ୍ଷରୁ କୁହାଯାଇଛି। ଏହାର ପ୍ରତିବାଦରେ ଦଳ ପକ୍ଷରୁ ଆୟୋଜିତ ଗଣବିକ୍ଷୋଭରେ ବହୁ ସଂଖ୍ୟାରେ ସାମିଲ ହେବାକୁ ଦଳ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଛି।
Laisser un commentaire
Votre adresse e-mail ne sera pas publiée. Les champs obligatoires sont marqués *