ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଶେଷ ସ୍ପର୍ଶ
ଆଲୋକ ମାଳାରେ ଝଲସିବ ସହର
ପାଟଣାଗଡ଼: ମା’ ଆସିବେ। ଧରାବତରଣ କରିବେ ମହିଷାସୁର ମର୍ଦ୍ଦିନୀ । ଆଉ ମା’ଙ୍କ ଆଗ ମନକୁ ନେଇ ଏବେଠାରୁ ଚଳଚଞ୍ଚଳ ହୋଇ ପଡିଛି ପାଟଣାଗଡ଼ । କେଉଁଠି ମଣ୍ଡପ ନିର୍ମାଣରେ ଶେଷ ସ୍ପର୍ଶ, ତ କେଉଁଠି ମା’ଙ୍କ ପ୍ରତିମା ରେ ଚାଲିଛି ରଙ୍ଗର ଶେଷ ପରସ୍ତ। ରାତିର ନିରବତା ଭାଙ୍ଗି ଦିନରାତି ଚାଲିଛି କାରିଗର ଙ୍କ ହାତୁଡ଼ିର ଶବ୍ଦ। ଲକ୍ଷ୍ୟ ଗୋଟିଏ ମା’ଙ୍କୁ ଭବ୍ୟ ସ୍ୱାଗତ । ପୂଜାକୁ ନେଇ ସହରର ବିଭିନ୍ନ ସ୍ଥାନରେ ମଣ୍ଡପ ନିର୍ମାଣ କାମ ଜୋରଦାର ଚାଲିଛି । ବାଉଁଶ, କାଠ ଓ କପଡ଼ାରେ ଆକାର ନେଉଛି ମଣ୍ଡପ । ଆୟୋଜକ ଙ୍କ ଯୋଜନା ଅନୁଯାୟୀ କାରିଗର ମାନେ ଦେଉଛନ୍ତି ଶେଷ ରୂପ। ଚଳିତବର୍ଷ ଭକ୍ତ ଙ୍କୁ ନୂଆ ଅନୁଭୂତି ଦେବା ପାଇଁ ସାଜ ସଜ୍ଜାରେ ରହିଛି ନୂଆ ଚିନ୍ତାଧାରା । ମାଟିରୁ ମା’ଙ୍କ ରୂପ। ମୃର୍ତ୍ତୀ କାରିଗର ଙ୍କ ହାତର ସ୍ପର୍ଶରେ ଧୀରେଧୀରେ ଜୀବନ୍ତ ହେଉଛି ପ୍ରତିମା । ମୁହଁର ଭଙ୍ଗୀଠାରୁ ଆଖିର ଚାହାଣି ପ୍ରତିଟି ଦିଗରେ ରହିଛି ଶିଳ୍ପୀଙ୍କ ନିଖୁଣ ପରିଶ୍ରମ । ମା’ଙ୍କ ଆଖିରେ ଶେଷ ରଙ୍ଗ ଦିଆଯିବା ପରେ ଯେପରି ଫୁଟି ଉଠିବ ଦେବୀଙ୍କ ଦିବ୍ୟ ରୂପ । ମଣ୍ଡପ ପରେ ଏବେ ନଜର ଆଲୋକସଜ୍ଜା ଉପରେ । ରଙ୍ଗ ବେରଙ୍ଗ ଆଲୋକରେ ଝଲସିବ ପୂଜା ମଣ୍ଡପ । ସନ୍ଧ୍ୟା ନଇଁଲେ ଆଲୋକର ଚମକରେ ବଦଳିଯିବ ସହରର ଚିତ୍ର । ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ରାସ୍ତାଘାଟ ଓ ପୂଜା ସ୍ଥଳୀରେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ଦୁର୍ଗାପୂଜା କେବଳ ଧାର୍ମିକ ଆୟୋଜନ ନୁହେଁ, ଏହା ପାଟଣାଗଡ଼ର ସାମୂହିକ ଉତ୍ସବ । ମା’ଙ୍କ ଦର୍ଶନ ପାଇଁ ଅପେକ୍ଷାରେ ଅଛନ୍ତି ସହରବାସୀ । ନୂଆ ପୋଷାକ, ନୂଆ ଉତ୍ସାହ ଓ ନୂଆ ଆଶାରେ ପୂଜାକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ସମସ୍ତେ । ବ୍ୟବସାୟୀଙ୍କ ମଧ୍ୟରେ ବି ବଢ଼ିଛି ଉତ୍ସାହ; ଚଲିତ ବର୍ଷ ପୂଜା ବଜାର ଜମିବା ନେଇ ରହିଛି ଆଶା ।ତେବେ ଉତ୍ସବ ଯେତେ ବଡ଼, ଦାୟିତ୍ୱ ମଧ୍ୟ ସେତେ ବଡ଼। ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ରହିବ ସମସ୍ତଙ୍କ ନଜର । ଶୃଙ୍ଖଳିତ ପରିବେଶରେ ପୂଜା ସମ୍ପନ୍ନ କରିବାକୁ ଆୟୋଜକ ମାନେ ମଧ୍ୟ ତତ୍ପର ହୋଇ ପଡ଼ିଛନ୍ତି । ମା’ଙ୍କ ଆଗମନ ପାଇଁ ସହର , ମଣ୍ଡପ, ମୃର୍ତ୍ତୀ କାରିଗର ଓ ଭକ୍ତ ପ୍ରସ୍ତୁତ । ଏବେ ଅପେକ୍ଷା କେବଳ ସେହି ଶୁଭ ମୁହୂର୍ତ୍ତକୁ ଯେତେବେଳେ ଶଙ୍ଖ ନାଦରେ ଗୁଞ୍ଜି ଉଠିବ ପାଟଣାଗଡ଼ ଓ ମା’ଙ୍କ ଆଗମନରେ ଉତ୍ସବର ରଙ୍ଗରେ ରଙ୍ଗିଯିବ ସାରା ସହର ।
Leave a comment
Your email address will not be published. Required fields are marked *